ମାର୍ଚ୍ଚ ସୁଦ୍ଧା ସରିବ ସ୍ୱର୍ଗଦ୍ୱାର ନବୀକରଣ କାର୍ଯ୍ୟ: ଶ୍ରୀକ୍ଷେତ୍ରରେ ଗୋଶାଳା, ଭିକ୍ଷୁକ ଥଇଥାନ ପ୍ରକଳ୍ପର ସମୀକ୍ଷା କଲେ ୫-ଟି ସଚିବ

ପୁରୀ: ସ୍ୱର୍ଗଦ୍ୱାରର ନବୀକରଣ କାର୍ଯ୍ୟ ୨୦୨୧ ମାର୍ଚ୍ଚ ସୁଦ୍ଧା ଶେଷହେବ। ଏଥିସହ ଶ୍ରୀକ୍ଷେତ୍ରରେ ବଡ଼ଦାଣ୍ଡକୁ ସ୍ବଚ୍ଛ ରଖିବାକୁ ବୁଲା ଗୋରୁଗାଈଙ୍କ ପାଇଁ ହୋଇଥିବା ଗୋଶାଳା ଓ ଭିକ୍ଷୁକମାନଙ୍କ ପାଇଁ ଥଇଥାନ ପ୍ରକଳ୍ପ କାର୍ଯ୍ୟର ମଧ୍ୟ ସମୀକ୍ଷା କରିଛନ୍ତି ୫-ଟି ସଚିବ ଭି.କେ. ପାଣ୍ଡିଆନ୍।

ଏହି ଅବସରରେ ବଡ଼ଦାଣ୍ଡକୁ ବୁଲା ଗୋରୁଗାଈ ଓ ଭିକାରୀ ମୁକ୍ତ କରିବା ଲାଗି ଯେଉଁ ଅଭିଯାନ ଆରମ୍ଭ ହୋଇଥିଲା ସେଥିରେ ବଡ଼ ସଫଳତା ମିଳିଛି ବୋଲି ୫-ଟି ସଚିବ ସୂଚନା ଦେଇଛନ୍ତି। ଏହି ପ୍ରକଳ୍ପ ଅଧୀନରେ ୫ ଶହ ଭିକାରୀଙ୍କୁ ଉଦ୍ଧାର କରାଯାଇ ସେମାନଙ୍କୁ ଥଇଥାନ କରାଯାଇଥିବାବେଳେ ସେଥି ମଧ୍ୟରୁ ୧୫୦ଜଣଙ୍କୁ ପୁଣିଥରେ ସେମାନଙ୍କ ପରିବାର ଲୋକଙ୍କ ପାଖକୁ ପଠାଇ ଦିଆଯାଇଛି।

ସେହିଭଳି ବଡ଼ଦାଣ୍ଡରୁ ୭ଶହ ବୁଲା ଗୋରୁଗାଈଙ୍କୁ ଉଦ୍ଧାର କରାଯାଇ ଗୋଶାଳାରେ ରଖାଯାଇଥିବାବେଳେ ଆଉ ୪ଶହ ଗାଈଗୋରୁଙ୍କୁ ରଖିବାକୁ ବ୍ୟବସ୍ଥା କରାଯାଉଛି। ସେହଭଳି ପୁରୀରେ ବାଙ୍କୀ ମୁହାଣକୁ ମଧ୍ୟ ସଫା କରାଯାଇଛି। ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡ ମାଧ୍ୟମରେ ପୁରୀରେ ହେଉଥିବା ବିଭିନ୍ନ କାର୍ଯ୍ୟର ସ୍ଥିତି ତଦାରଖ କରିଛନ୍ତି ୫-ଟି ସଚିବ ଭି.କେ. ପାଣ୍ଡିଆନ୍।

ସୂଚନାଯୋଗ୍ୟ, ଶ୍ରୀକ୍ଷେତ୍ରକୁ ବିଶ୍ବ ଐତିହ୍ୟ ନଗରୀରେ ପରିଣତ କରିବାକୁ ଗତ ଜାନୁଆରୀରେ ମୁଖ୍ୟମନ୍ତ୍ରୀ ପ୍ୟାକେଜ୍ ଘୋଷଣା କରିଥିଲେ। ହେଲେ କରୋନା ପାଇଁ ଗଲା ୮ ମାସ ଧରି ଭିତ୍ତିଭୂମି ନିର୍ମାଣ କାମ ବନ୍ଦ ରହିଥିଲା। ଏବେ କଟକଣା କୋହଳ ପରେ ପୁଣି ଦ୍ରୁତଗତିରେ ନିର୍ମାଣ କାର୍ଯ୍ୟ ଜାରି ରହିଛି। ତେବେ ପୁରୀରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷାବେଳେ ୫-ଟି ସଚିବ ଭି.କେ. ପାଣ୍ଡିଆନ୍ଙ୍କ ସହ ପୁରୀ ଜିଲ୍ଲାପାଳ ବଲଓ୍ବନ୍ତ ସିଂ ଏବଂ ପୁରୀ ଏସପି ଅଖିଳେଶ୍ବର ସିଂ ଉପସ୍ଥିତ ଥିଲେ।