ଲୋକେ ହେବେ ସଚେତନ , ଗଡ଼ିଲା ରଥ

ମ୍ୟାଲେରିଆ, ଡେଙ୍ଗୁ ଓ ଡାଇରିଆ ଭଳି ଜଳବାହିତ ରୋଗ ସଂକ୍ରାନ୍ତରେ ଲୋକଙ୍କୁ ସଚେତନ କରିବା ଲାଗି ଆଜିଠାରୁ ସଚେତନତା ରଥ ଗଡିଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ ଡାକ୍ତର ପ୍ରମୋଦ କୁମାର ମେହେର୍ଦ୍ଦା ଏହାର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ଡାକ୍ତର ମେହେର୍ଦ୍ଦା ଜନ ସଚେତନତା ପାଇଁ ପ୍ରସ୍ତୁତ ହୋଇଥିବା ପ୍ରଚାର ପତ୍ରକୁ ଉନ୍ମୋଚନ କରିଛନ୍ତି ।
ସଚେତନତା ରଥ ସଂକ୍ରାନ୍ତରେ ଡାକ୍ତର ମେହେର୍ଦ୍ଦା କହିଛନ୍ତି ଯେ ପ୍ରତିବର୍ଷ ବର୍ଷାଋତୁ ଆରମ୍ଭରୁ ଲୋକଙ୍କୁ ଜଳ ଓ ଭେକ୍ଟର ବାହିତ ରୋଗ ସଂକ୍ରାନ୍ତରେ ସଚେତନ କରାଯାଇଥାଏ । ପୂର୍ବରୁ ଏହା ୧୫ଦିନପାଇଁ ଚାଲୁଥିବା ଚଳିତବର୍ଷ ପ୍ରଥମେ ଏହାକୁ ଏକ ମାସ ଓ ପରେ ତିନିମାସ ପାଇଁ ଚଳାଯିବ ।
ସଚେତନତା କାର୍ଯ୍ୟକ୍ରମରେ ରାଜ୍ୟ ସରକାର ବିଭନ୍ନ ବିଭାଗ ବିଶେଷକରି ପଞ୍ଚାୟତିରାଜ ଓ ପାନୀୟଜଳ, ବିଦ୍ୟାଳୟ ଓ ଗଣଶିକ୍ଷା, ମହିଳା ଓ ଶିଶୁ କଲ୍ୟାଣ ଆଦି ବିଭାଗକୁ ସାମିଲ କରାଯିବ । ଏହାଛଡା ଗାଁ କଲ୍ୟାଣ ସମିତିର କର୍ମକର୍ତ୍ତା, ଅଙ୍ଗନବାଡି କର୍ମୀ, ଆଶା କର୍ମୀ ଓ ଶିକ୍ଷକମାନଙ୍କୁ ସଚେତନ କରାଯିବ ବୋଲି ଡାକ୍ତର ମେହେର୍ଦ୍ଦା କହିଛନ୍ତି ।
କୌଣସି ଠାରେ ଜଳ କିମ୍ବା ଭେକ୍ଟର ବାହିତ ରୋଗ ଦେଖାଦେଲେ ତାହା ଯେଭଳି ଅନ୍ୟ ଅଞ୍ଚଳକୁ ନବ୍ୟାପିବ ସେଥିପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି । ବର୍ଷାଋତୁକୁ ଦୃଷ୍ଟିରେ ରଖି ରାଜ୍ୟର ପ୍ରତ୍ୟେକ ସରକାରୀ ଡାକ୍ତରଖାନାରେ ପର୍ଯ୍ୟାପ୍ତ ପରିମାଣରେ ସାଲାଇନ୍ ଓ ଔଷଧ ଆଦି ମହଜୁଦ ରଖାଯାଇଛି ।
ବିହାରରେ ଏନ୍ସେଫାଲାଇଟସ୍ ଆକ୍ରମଣରେ ଶତାଧିକ ଶିଶୁ ମୃତ୍ୟୁବରଣ କରୁଥିବାବେଳେ ରାଜ୍ୟ ସରକାରଙ୍କର ଏ କ୍ଷେତ୍ରରେ ପ୍ରସ୍ତୁତି ସଂକ୍ରାନ୍ତରେ ସୂଚନା ଦେଇ ସ୍ୱାସ୍ଥ୍ୟ ସଚିବ କହିଛନ୍ତି ଯେ ଏହିଭଳି ରୋଗର ମୁକାବଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ । ଏହି ରୋଗର ନିୟନ୍ତ୍ରଣ ପାଇଁ ଥିବା ଗାଇଡ୍ଲାଇନ୍ ଗୁଡିକ ପାଳନ ପାଇଁ ଗାଁ କଲ୍ୟାଣ ସମିତି ଠାରୁ ଆରମ୍ଭକରି ଆଶାକର୍ମୀ ଓ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ପଠାଯାଇଛି । ଆଜିର ଏହି ଉତ୍ସବରେ ବିଭାଗୀୟ ସଚିବଙ୍କ ସହିତ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ ।