ଚାଲିଛି ମିଶାଣ ଫେଡାଣ, ପିପିଲି ଉପନିର୍ବାଚନ ପରେ ବଦଳିବ ମନ୍ତ୍ରୀମଣ୍ଡଳ

ଖୁବଶୀଘ୍ର ରାଜ୍ୟ ମନ୍ତ୍ରୀ ମଣ୍ଡଳରେ ଏକ ବଡ ଧରଣର ଅଦଳବଦଳ ହେବାକୁ ଯାଉଛି । ପିପିଲି ଉପନିର୍ବାଚନ ସରିବା ପରେ ନବୀନ ନିଜ ପଂଚମ ପାଳିର ମନ୍ତ୍ରୀମଣ୍ଡଳରେ ପ୍ରଥମ ଅଦଳବଦଳ କରିବାକୁ ନିଷ୍ପତ୍ତି ନେଇଥିବା ସୂଚନା ପାୱାର କରିଡରରେ ଘୁରି ବୁଲୁଛି । ନବୀନ କାହା ଉପରେ ବିଶ୍ୱାସ ରଖିବେ ଆଉ କାହା ଉପରେ ବିଶ୍ୱାସ ହରାଇ ବସିଛନ୍ତି ତାକୁ ନେଇ ଆରମ୍ଭ ହୋଇ ସାରିଛି ଆକଳନ । ଏପରିକି କିଛୀ ନୂଆ ନେତା ନବୀନଙ୍କ ମନ୍ତ୍ରୀମଣ୍ଡଳରେ ସାମିଲ ହେବାକୁ ଗୋଟି ଚାଳନା ଆରମ୍ଭ କରିଥିବା ଜଣାପଡିଛି ।
ଅଦଳବଦଳ ପଛରେ ଦୁଇ ତିନୋଟି ମୁଖ୍ୟ ଦିଗ ରହିଛି । ଖାସ୍ କରି ଆଗକୁ ସହର ଆଉ ପଂଚାୟତ ଭୋଟ ଅସୁଥିବାରୁ ଅଭିଜ୍ଞ ତଥା ସାଂଗଠନିକ ଦକ୍ଷତା ରଖୁଥିବା ନେତାଙ୍କୁ ଦାୟିତ୍ୱ ଦେବାକୁ ନବୀନ ମନସ୍ଥ କରିଥିବା ଜଣାପଡିଛି । ସେହିପରି ଦୁଇ ଦୁଇଟି ଉପ ନିର୍ବାଚନରେ ଦାୟିତ୍ୱ ନେଇ ସଫଳତା ଆଣିଥିବା ନେତାଙ୍କୁ ଥଇଥାନ କରିବାକୁ ନବୀନ ଚିନ୍ତା କରୁଥିବା ଜଣାପଡୁଛି । ବିଜେପୁର ଉପ-ନିର୍ବାଚନ ପରେ ନବୀନ ସମାନ ଢଙ୍ଗରେ ଦଳ ପାଇଁ ସଫଳତା ଆଣିଥିବା ନେତାଙ୍କୁ ପୁରଷ୍କୃତ କରିଥିଲେ । ଆଉ ଶେଷରେ କିଛି ନେତା ବିବାଦୀୟ ହୋଇଥିବାରୁ ଏବଂ କିଛି ନେତାଙ୍କ ପ୍ରଦର୍ଶନ ନିରୁତ୍ସାହଜନକ ଥିବାରୁ ନବୀନ ସେମାନଙ୍କୁ ବାଦ ଦେବାକୁ ଚିନ୍ତା କରୁଥାଇ ପାରନ୍ତି ।
କିଛି ଏଭଳି ଆଧାରରେ ନବୀନ ନୂଆ ମନ୍ତ୍ରୀ ମଣ୍ଡଳ ଗଠନ କରିବାର ଯଥେଷ୍ଟ ସମ୍ଭାବନା ରହୁଛି ।ତେବେ ମନ୍ତ୍ରୀ ମଣ୍ଡଳରେ କାହାକୁ ସାମିଲ କରାଯିବ ଆଉ କାହାକୁ ବାଦ୍ ଦିଆଯିବ, ସେକଥା ସ୍ପଷ୍ଟ ହୋଇନଥିବା ବେଳେ ମନ୍ତ୍ରୀପଡା ଅର୍ଥାତ୍ କେନ୍ଦ୍ରାପଡାର ଭାଗିଦାରୀ ଏଥର ମନ୍ତ୍ରୀମଣ୍ଡଳରେ ନିହାତି ରହିବ । ସେହିଭଳି ଉପକୂଳ ଓଡିଶାରୁ କିଛି ମନ୍ତ୍ରୀ (ନୂଆ)ଙ୍କୁ ନବୀନ ବାଦ ଦେଇପାରନ୍ତି । ଏହାପଛରେ ସେମାନଙ୍କ ବ୍ୟକ୍ତିଗତ ବିବାଦ ଆଉ ପ୍ରଦର୍ଶନ କାରଣ ବୋଲି ଅନୁମାନ କରାଯାଉଛି । ପ୍ରଦର୍ଶନ ଆଧାରରେ ଉତ୍ତର, ଦକ୍ଷିଣ ଓଡିଶାର କିଛି ମନ୍ତ୍ରୀଙ୍କୁ ନବୀନ ବାଦ୍ ଦେବା ଏକପ୍ରକାର ଚୁଡାନ୍ତ ।
ଏଥର ଅଦଳବଦଳରେ ଅଭିଜ୍ଞ ନେତାଙ୍କୁ ନବୀନ କ୍ୟାବିନେଟକୁ ଆଣିବେ । କାରଣ ପଶ୍ଚିମବଙ୍ଗ ନିର୍ବାଚନ ପରେ କେନ୍ଦ୍ର ବିଜେପିର ଫୋକସକୁ ଓଡିଶା ଆସିବ । ଆଉ ସେହି ସମୟରେ ଯେଉଁ ରାଜନୈତିକ ଆକ୍ରମଣ ହେବ, ସେଥିରୁ ସୁରକ୍ଷା ପାଇଁ ରାଜନୀତିରେ ମାହିର ନେତାଙ୍କ ଆବଶ୍ୟକତାକୁ ଦଳ ଅନୁଭବ କରିବ । ତେଣୁ ଏଥର ଏକ ଅଭିଜ୍ଞ କ୍ୟାବିନେଟ ଦେଖିବାକୁ ମିଳିବ ବୋଲି ଅନୁମାନ କରାଯାଉଛି । ଏଥରର ମନ୍ତ୍ରୀମଣ୍ଡଳ ସାମ୍ନାରେ ଅନେକ ଆହ୍ୱାନ ରହିବ, କାରଣ ନିର୍ବାଚନ ପାଖେଇବା ସହ ରାଜନୈତିକ ତିକ୍ତତା ବଢିବ । ତେଣୁ କାହାକୁ ସାମିଲ କରି କାହାକୁ ବାଦ୍ ଦିଆଯିବ, ସେନେଇ ମାନଓ ମନ୍ଥନ ଆରମ୍ଭ ହୋଇସାରିଛି ।
ତେବେ ଯେଉଁ ଦିଗଟି ପ୍ରତି ସମସ୍ତଙ୍କର ନଜର ରହିଛି ତାହା ହେଲା, ଦଳର ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ ମନ୍ତ୍ରୀମଣ୍ଡଳକୁ ଆସୁଛନ୍ତି ନା ବାହାରେ ରହି ଦଳ ତଥା ସରକାର ପାଇଁ କାମ କରିବାକୁ ଚିନ୍ତା କରୁଛନ୍ତି ।