ଉତ୍ତରାଖଣ୍ଡରେ ପ୍ରାକୃତିକ ବିପର୍ଯ୍ୟୟ: ଗ୍ଲେସିୟର ଭାଙ୍ଗି ଧୌଳି ଗଙ୍ଗା ନଦୀରେ ଅଚାନକ ବନ୍ୟା, ଭାସିଗଲେ ୧୫୦ରୁ ଅଧିକ ଲୋକ

ଉତ୍ତରାଖଣ୍ଡରେ ପ୍ରାକୃତିକ ବିପର୍ଯ୍ୟୟ: ଗ୍ଲେସିୟର ଭାଙ୍ଗି ଧୌଳି ଗଙ୍ଗା ନଦୀରେ ଅଚାନକ ବନ୍ୟା, ଭାସିଗଲେ ୧୫୦ରୁ ଅଧିକ ଲୋକ

ଉତ୍ତରାଖଣ୍ଡ ଚମୋଲି ଜିଲ୍ଲାରେ ଆଜି ସକାଳେ ହଠାତ୍ ଗ୍ଲେସିୟର ଭାଙ୍ଗିବା ଫଳରେ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି ହୋଇଛି। ଏହି କାରଣରୁ ଉତ୍ତରାଖଣ୍ଡର ଧୌଳି ଗଙ୍ଗା ନଦୀରେ ଅଚାନକ ପ୍ରବଳ ବନ୍ୟା ଆସି ଋଷିଗଙ୍ଗା ବିଦ୍ୟୁତ ପ୍ରକଳ୍ପରେ କାର୍ଯ୍ୟ କରୁଥିବା ପ୍ରାୟ ୧୫୦ରୁ ୨୦୦ କର୍ମଚାରୀଙ୍କୁ ଭସାଇ ନେଇଥିବା କୁହାଯାଉଛି। ଏହାସହ ଋଷିଗଙ୍ଗା ଜଳ ବିଦ୍ୟୁତ୍ ପ୍ରକଳ୍ପରେ କାର୍ଯ୍ୟ କରୁଥିବା ଅନେକ ଶ୍ରମିକ ନିଖୋଜ ହେବାର ଆଶଙ୍କା ରହିଛି ବୋଲି ସରକାରୀ ଅଧିକାରୀ କହିଛନ୍ତି। ଉତ୍ତରପ୍ରଦେଶର ଚମୋଲିର ତାପୋବନ ଅଞ୍ଚଳରେ ଥିବା ଏନଟିପିସି ସାଇଟରୁ ୩ଜଣଙ୍କ ମୃତଦେହ ମଧ୍ୟ ଉଦ୍ଧାର କରାଯାଇଛି, ମୃତକଙ୍କ ସଂଖ୍ୟା ଅଧିକ ହୋଇପାରେ ବୋଲି ଆଶଙ୍କା କରାଯାଉଛି। ନଦୀ କୂଳରେ ଥିବା ଅନେକ ଘର ମଧ୍ୟ ଭାସିଯାଇଥିବାର ଜଣାପଡ଼ିଛି। ଆଖାପାଖ ଗାଁରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି। ଋଷିଗଙ୍ଗା ବ୍ୟତୀତ ଏନ୍‌ଟିପିସିର ଏକ ପ୍ରକଳ୍ପ ବି ଏହି ହିମସ୍ଫଳନରେ କ୍ଷତିଗ୍ରସ୍ତ ହୋଇଛି । ତପୋବନ ବ୍ୟାରେଜ୍ ଶ୍ରୀନଗର ଡ୍ୟାମ୍ ଓ ଋଷିକେଷ ଡ୍ୟାମ୍ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏହି ଘଟଣା ନେଇ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ଆଇଟିବିପି, ଏସଡିଆରଏଫ ଏବଂ ଏନଡିଆରଏଫର ଟିମ୍ ଉଦ୍ଧାରକାର୍ଯ୍ୟରେ ଲାଗିଥିବା ବେଳେ କୌଣସି ପ୍ରକାରର ସାହାଯ୍ୟ ପାଇଁ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂହ ରାୱତ ହେଲପଲାଇନ ନମ୍ବର ଜାରି କରିଛନ୍ତି। ପ୍ରଭାବିତ ଅଞ୍ଚଳରେ ଫସି ରହିଥିବା ଲୋକେ କୌଣସି ପ୍ରକାରର ସାହାଯ୍ୟ ପାଇଁ ୧୦୭୦ ବା ୯୫୫୭୪୪୪୪୮୬ରେ ଯୋଗାଯୋଗ କରିପାରିବେ। ଅନ୍ୟପକ୍ଷେ ପରିସ୍ଥିତିକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉତ୍ତରପ୍ରଦେଶ ସମ୍ବନ୍ଧିତ ବିଭାଗ ଓ ଅଧିକାରୀଙ୍କୁ ହାଇ ଆଲର୍ଟରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଗଙ୍ଗା ନଦୀ କୂଳରେ ପଡୁଥିବା ସମସ୍ତ ଜିଲ୍ଲାର ଜିଲ୍ଲା ଅଧିକାରୀ ଓ ପୋଲିସ ଅଧିକ୍ଷକଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଟ୍ୱିଟ କରିଛନ୍ତି ଯେ, ନନ୍ଦପ୍ରୟାଗ ଆଗକୁ ଅଲକାନନ୍ଦ ନଦୀରେ ଜଳର ପ୍ରବାହ ସାମାନ୍ୟ ହୋଇଛି। ନଦୀର ଜଳସ୍ତର ସାମାନ୍ୟରୁ ୧ ମିଟର ଉପରେ ରହିଛି। କିନ୍ତୁ ଜଳସ୍ରୋତ ସାମାନ୍ୟ ହେବାରେ ଲାଗିଛି। ରାଜ୍ୟର ମୁଖ୍ୟ ସଚିବ, ବିପର୍ଯ୍ୟୟ ସଚିବ, ପୋଲିସ ଅଧିକାରୀ ଏବଂ ମୋର ସମସ୍ତ ଦଳ ବିପର୍ଯ୍ୟୟ ନିୟନ୍ତ୍ରଣ ପ୍ରକୋଷ୍ଠରେ ପରିସ୍ଥିତି ଉପରେ ଲଗାତାର ନଜର ରଖିଛନ୍ତି।ଏହାସହ ଚମୋଲୀରୁ ହରିଦ୍ୱାର ଯାଏଁ ଆଲର୍ଟ ଜାରି କରାଯାଇଛି। ଗଙ୍ଗା ଓ ସହାୟକ ନଦୀକୂଳର ସମସ୍ତ ରାସ୍ତା ବନ୍ଦ କରାଯାଇଛି। ଗଙ୍ଗା କୂଳରେ ସବୁ କ୍ୟାମ୍ପ ଖାଲି କରାଯାଉଛି। ଯୋଶୀମଠ ଓ ତପୋବନ ଅଞ୍ଚଳର ସମସ୍ତ ଘର ଖାଲି କରାଯାଉଛି।

Share this story