୪୭ ବର୍ଷ ପୁରି ଯାଇଛି : କିନ୍ତୁ ଆଜି ବି ଛାତି ଥରାଇ ଦେଉଛି କଳା ଦିବସର କଳା କାହାଣୀ

ଜୁନ ୨୫ ବର୍ଷ ୧୯୭୫ । ଏ ତାରିଖ ଆଉ ବର୍ଷକୁ ବୋଧେ ଭୁଲି ନଥିବେ ଭାରତବାସୀ । ଭାରତୀୟ ଗଣତନ୍ତ୍ର ଓ ରାଜନୈତିକ ଇତିହାସରେ ଘଟିଯାଇଥିବା ବହୁ ଘଟଣାବଳୀ ମଧ୍ୟରେ ଆଜିର ତାରିଖ ଲିପିବଦ୍ଧ ହୋଇରହିଛି। କଳା ଇତିହାସର କଳା ଦାଗକୁ ଯେମିତି ଆଜି ବି ମନେ ପକେଇ ଦେଉଛି ସେଦିନର କଥା । ଦେଶରେ ଲାଗୁ ହୋଇଥିଲା ଜରୁରୀକାଳୀନ ପରିସ୍ଥିତି ବା ଏମରଜେନ୍ସି । ୧୯୭୫ ମସିହାର ଆଜିର ଦିନରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସୁପାରିସ କ୍ରମେ ତତ୍କାଳୀନ ରାଷ୍ଟ୍ରପତି ଫକରୁଦ୍ଦିନ୍ ଅଲ୍ଲୀ ଅହମ୍ମଦ୍ ଜାତୀୟ ଜରୁରୀ ପରିସ୍ଥିତି ଘୋଷଣା କରିଥିଲେ । ରାତାରାତି ଲୋକଙ୍କ ସମ୍ବିଧାନ ଅଧିକାର ଉପରେ ଲଗାଯାଇଥିଲା ଅଙ୍କୁଶ । ଆଜି ସେହି କଳାଦିନକୁ ୪୭ ବର୍ଷ ପୂରୁଛି । ଜାଣନ୍ତୁ ପୁରା ଘଟଣା ।
ଜରୁରୀକାଳୀନ ପରିସ୍ଥିତି କଣ ?
ଜରୁରୀକାଳୀନ ବା ବିପତ୍ତି ଅବା ସଙ୍କଟ ସମୟକୁ ବୁଝାଯାଏ । ଭାରତୀୟ ସମ୍ବିଧାନରେ ଏନେଇ ନିୟମ ରହିଛି । ଦେଶର ଆଭ୍ୟନ୍ତରୀଣ, ଆର୍ଥିକ ଉପରେ କୌଣସି ବିପତ୍ତି ଥିଲେ ଏହାର ବ୍ୟବହାର କରାଯାଏ । କୌଣସି ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା ହେଲେ ସରକାରଙ୍କ ସମସ୍ତ କ୍ଷମତା ପ୍ରଧାନମନ୍ତ୍ରୀଙ୍କ ହାତକୁ ଚାଲିଆସେ । ଯଦି ରାଷ୍ଟ୍ରପତି ଅନୁଭବ କରନ୍ତି ଦେଶକୁ ଆଭ୍ୟନ୍ତରୀଣ ଅବା ଆର୍ଥିକ ଭାବେ କୌଣସି ବିପତ୍ତି ରହିଛି ସେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିପାରିବେ । ଦେଶର ଅଖଣ୍ଡତା ସୁରକ୍ଷାକୁ ଦୃଷ୍ଟିରେ ରଖି ସମ୍ବିଧାନରେ ଏହି ପ୍ରାବଧାନ ରହିଛି ।
ବର୍ତ୍ତମାନ ସୁଦ୍ଧା ଦେଶରେ ୩ ଥର ଲାଗୁ ହୋଇଛି ଜରୁରୀକାଳୀନ ପରିସ୍ଥିତି:
୨୬ ଅକ୍ଟୋବର ୧୯୬୨
ଇତିହାସରେ ଇନ୍ଦିରା ଗାନ୍ଧୀଙ୍କ ସମୟରେ ହୋଇଥିବା ଜରୁରୀକାଳୀନ ପରିସ୍ଥିତି ଲାଗୁକୁ ନେଇ ବହୁ ଚର୍ଚ୍ଚା ଆଲୋଚନା ହୁଏ । କିନ୍ତୁ ଇତିହାସ କଥା ଆମେ ଯଦି ଦେଖିବା ୧୯୭୫ ମସିହା ପୂର୍ବରୁ ଅର୍ଥାତ ୧୯୬୨ ମସିହାରେ ଲାଗୁ ହୋଇଥିଲା । ଏହି ସମୟରେ ଭାରତ-ଚୀନ ମଧ୍ୟରେ ଯୁଦ୍ଧ ହୋଇଥିଲା । ଦେଶର ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଥିଲା ।
୩ ଡିସେମ୍ବର ୧୯୭୧
ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ମଧ୍ୟ ଦେଶରେ ଜାତୀୟ ଜରୁରୀକାଳୀନ ପରିସ୍ଥିତି ଲାଗୁ ହୋଇଥିଲା । ଯୁଦ୍ଧକୁ ଦେଖି ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯାଇଥିଲା ।
୨୫ ଜୁନ ୧୯୭୫
ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଶାସନ କାଳରେ ଜାତୀୟ ଜରୁରୀକାଳୀନ ପରିସ୍ଥିତି ଲାଗୁ ହୋଇଥିଲା । ଯାହାକୁ ନେଇ ଏବେ ସୁଦ୍ଧା କଳଙ୍କର ଦୋଷ ମୁଣ୍ଡାଉଛନ୍ତି ଇନ୍ଦିରା ସରକାର। ଦେଶ ସ୍ବାର୍ଥ ନୁହେଁ ବଂର ନିଜ ସ୍ବାର୍ଥ ପାଇଁ ଏହା କରାଯାଇଥିବା ଲୋକେ କୁହନ୍ତି ।
ଜାଣନ୍ତୁ କାହିଁକି ଇନ୍ଦିରା ଘୋଷଣା କରିଥିଲେ ଜାତୀୟ ଜରୁରୀକାଳୀନ ପରିସ୍ଥିତି ?
୧୯୭୫ ଜୁନ୍ ୧୨ରେ ଆହ୍ଲାବାଦ୍ ହାଇକୋର୍ଟ ଏକ ମାମଲାର ବିଚାର କରି ରାୟବରେଲୀ ଲୋକସଭା ଆସନରୁ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ବିଜୟକୁ ଅବୈଧ ଘୋଷିତ କରିଥିଲେ । ଏହାସହ ୬ ବର୍ଷ ନିର୍ବାଚନ ଲଢିବା ଉପରେ ପ୍ରତିବନ୍ଧକ ଲଗାଇ ଦେଇଥିଲେ । ଏହାକୁ ନେଇ ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିଲେ ଇନ୍ଦିରା । ସେଠାରେ କେବଳ ପ୍ରଧାନମନ୍ତ୍ରୀ ପଦ କାଏମ ରହିବା ନେଇ କୋର୍ଟ କହିଥିଲେ । ଆଉ ଏହା ହିଁ ଥିଲା ଏମରଜେନ୍ସିର ପୃଷ୍ଠଭୂମି ।
ଏମରଜେନ୍ସି ଘୋଷଣା ଜୁନ ୨୫ରେ କରାଯାଇଥିଲା ହେଲେ ଏହାର ବ୍ଲୁପ୍ରିଣ୍ଟ ୧୨ ଜାନୁଆରୀରୁ ପ୍ରସ୍ତୁତ କରାଯାଇଥିଲା । ୧୯୭୧ରେ ଇନ୍ଦିରା ଗରିବ ହଟାଅ ସ୍ଲୋଗାନ୍ ଦେଇ ଲୋକସଭା ନିର୍ବାଚନରେ ୫୧୮ ଆସନ ମଧ୍ୟରୁ ୩୫୨ ଆସନ ହାତେଇବାକୁ ସକ୍ଷମ ହୋଇଥିଲେ। ପରବର୍ତ୍ତୀ ସମୟରେ ରାୟବରେଲୀ ଆସନରୁ ତାଙ୍କ ବିଜୟକୁ ଜୟ ପ୍ରକାଶ ନାରାୟଣ ବିରୋଧ କରିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଥିଲା । ଅନ୍ୟପଟେ ଇନ୍ଦିରା ସରକାରଙ୍କୁ ଅକଳରେ ପକାଇବାକୁ ରାସ୍ତାକୁ ଓହ୍ଲାଇଥିଲେ ଜୟପ୍ରକାଶ ନାରାୟଣ । ବଡ ସ୍ତରରେ ରାଲି ମଧ୍ୟ କରିଥିଲେ ।
ଜୟନାରାୟଣଙ୍କୁ ଜନସାଧାରଣଙ୍କୁ ଆକୁଣ୍ଠ ସମର୍ଥନ ମିଳୁଥିବା ମଧ୍ୟ ଦେଖିବାକୁ ମିଳିଥିଲା । ଏପଟେ ଆହ୍ଲାବାଦ ହାଇକୋର୍ଟଙ୍କ ରାୟ ପରେ ବିରୋଧି ଇନ୍ଦିରାଙ୍କ ଇସ୍ତଫା ଦାବିରେ ଅଡି ବସିଥିଲେ । ଏପରିକି ୨୫ ଜୁନ ୧୯୭୫ରେ ଜୟପ୍ରକାଶ ନାରାୟଣ ଇନ୍ଦିରାଙ୍କ ବିରୋଧରେ ସତ୍ୟାଗ୍ରହ କରିବାକୁ ଘୋଷଣା କରିଥିଲେ । ଯାହା ଇନ୍ଦିରାଙ୍କୁ ଚିନ୍ତାରେ ପକାଇଥିଲା ।୧୯୭୧ରେ ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧ ହେବା ପରେ ଭାରତରେ ବିକାଶ ଧିମା ପଡି ଯାଇଥିଲା । ଗରିବ, ବେରୋଜଗାରୀ ବଢିବାରେ ଲାଗିଥିଲା । ଯାହାକୁ ନେଇ ସରକାରଙ୍କୁ ବିରୋଧି ଟାର୍ଗେଟ କରୁଥିଲେ । ଯାହା ଇନ୍ଦିରା ସରକାରଙ୍କ ପାଇଁ ସତର୍କ ଘଣ୍ଟି ଥିଲା ।
୨୧ ମାସ ପର୍ୟ୍ୟନ୍ତ ରହିଥିଲା ଜରୁରୀକାଳୀନ ପରିସ୍ଥିତି କୁହନ୍ତି.. ସରକାରଙ୍କ ଉପରେ ଏତେ ଚାପ ସତ୍ତ୍ବେ ପ୍ରଧାନମନ୍ତ୍ରୀ ପଦର ମୋହ ଛାଡି ନଥିଲା ଇନ୍ଦିରାଙ୍କୁ । ଏପରିକି ସଞ୍ଜୟ ଗାନ୍ଧୀ ବି ଚାହୁଁ ନଥିଲେ ତାଙ୍କ ମାଙ୍କ ହାତରୁ କ୍ଷମତା ଅପସରିଯାଉ । ଯାହାର ସମାଧାନ ସରକାର ଏମିତି କରିଥିଲେ ଯେ, ଯାହା ଦେଶବାସୀଙ୍କୁ ଭୋଗିବାକୁ ପଡିଥିଲା । ମାମଲାର ଶୁଣାଣି ହୋଇ ଇନ୍ଦିରା ଗାନ୍ଧୀଙ୍କ ନିର୍ବାଚନ ବାତିଲ କରାଯାଇଥିଲା। ଏହି ନିଷ୍ପତ୍ତିରେ ରାଗିଯାଇ ଇନ୍ଦିରା ଗାନ୍ଧୀ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିବାକୁ ନିଷ୍ପତ୍ତି ନେଇଥିଲେ।
ଇନ୍ଦିରା ଗାନ୍ଧୀ ଏତେ ରାଗି ଯାଇଥିଲେ ଯେ ପରଦିନ ସେ ରାଷ୍ଟ୍ରପତିଙ୍କୁ ଆନୁଷ୍ଠାନିକ କ୍ୟାବିନେଟ୍ ବୈଠକ ବିନା ଜରୁରୀକାଳୀନ ପରିସ୍ଥିତି ଲାଗୁ କରିବାକୁ ପରାମର୍ଶ ଦେଇଥିଲେ, ଯାହା ଜୁନ୍ ୨୫ ଏବଂ ଜୁନ୍ ୨୬ ର ମଧ୍ୟବର୍ତ୍ତୀ ରାତିରେ ରାଷ୍ଟ୍ରପତି ଫକୀରୁଦ୍ଦିନ ଅଲି ଅହମ୍ମଦଙ୍କ ଦ୍ୱାରା ସ୍ୱାକ୍ଷରିତ ହୋଇଥିଲା। ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯାଇଥିଲା। ୨୧ ମାସ ପର୍ୟ୍ୟନ୍ତ ଦେଶରେ ଏମରଜେନ୍ସି ଲାଗୁ ହୋଇଥିଲା । ଏହାର ସମାପ୍ତି ୨୧ ମାର୍ଚ୍ଚ ୧୯୭୭ରେ ହୋଇଥିଲା ।
ଜରୁରୀକାଳୀନ ପରସ୍ଥିତି କିଭଳି ଅସୁବିଧାର ସମ୍ମୁଖୀନ ହୋଇଥିଲେ ଦେଶବାସୀ ?
ଜରୁରୀକାଳୀନ ପରିସ୍ଥିତି ଯୋଗୁଁ ସ୍ୱାଧୀନତା ଉପରେ ଲାଗିଯାଇଥିଲା ଗ୍ରହଣ । ରାତାରାତି ସମ୍ବିଧାନ ପ୍ରଦତ୍ତ ସବୁ ପ୍ରକାର ସ୍ୱାଧୀନତା, ପ୍ରେସ ସ୍ୱାଧୀନତା ଉପରେ ଲାଗିଥିଲା ଅଂକୁଶ । ସବୁଆଡେ ନୀରବତା ଛାଇ ଯାଇଥିଲା । ସ୍ତବ୍ଧ ହୋଇ ଯାଇଥିଲା ପୁରା ଦେଶ । ଏହି ସମୟରେ ଲୋଙ୍କ ମୌଳିକ ଅଧିକାରକୁ ଛଡାଇ ନିଆଯାଇଥିଲା । ବିରୋଧ କଲେ ଭୋଗିବାକୁ ପଡୁଥିଲା ଜେଲ । ଲକ୍ଷ ଲକ୍ଷ ଲୋକଙ୍କୁ ଜେଲକୁ ଯିବାକୁ ପଡିଥିଲା । ଜରୁରୀକାଳୀନ ପରିସ୍ଥିତିକୁ ବିରୋଧ କରୁଥିବା ଜୟପ୍ରକାଶ ନାରାୟଣ , ଜର୍ଜ ଫର୍ଣ୍ଣାଣ୍ଡିସ୍, ମୋରାଜୀ ଦେଶାଇ, ଅଟଳ ବିହାରୀ ବାଜପେୟୀ, ଲାଲ କୃଷ୍ଣ ଆଡଭାନୀ, ଶରଦ ଯାଦବ, ଲାଲୁ ପ୍ରସାଦ ଯାଦବ, ମୁଲାୟମ ସିଂଙ୍କ ଭଳି ସମସ୍ତ ବିରୋଧୀଦଳଙ୍କୁ କାରାଗାରରେ ରଖାଯାଇଥିଲା ।
ଜରୁରୀକାଳୀନ ପରିସ୍ଥିତିରେ ପାଖାପାଖି ୧ ଲକ୍ଷ ୧୦ ହଜାର ଲୋକଙ୍କୁ ଗିରଫ କରାଯାଇ ଜେଲରେ ରଖାଯାଇଥିଲା । ଗଣମାଧ୍ୟମର ମଧ୍ୟ କଣ୍ଠରୋଧ କରାଯାଇଥିଲା । ଗଣମାଧ୍ୟମ ଉପରେ ସେନସରସିପ ଲଗାଯାଇଥିଲା । ଯାହା ଅଧୀନରେ ସରକାରଙ୍କ ବିରୋଧରେ ଖବର ପ୍ରକାଶ କରିବା ଏକ ଅପରାଧ ଥିଲା । ବିଦେଶୀ ଗଣମାଧ୍ୟମ ସହିତ ଜଡିତ ସମ୍ବାଦଦାତାମାନଙ୍କୁ ମଧ୍ୟ ଦେଶରୁ ବିତାଡିତ କରାଯାଇଥିଲା । ଅନେକ ଗଣମାଧ୍ୟମ କାର୍ୟ୍ୟରତ ସାମ୍ବାଦିକଙ୍କୁ ମଧ୍ୟ ଗିରଫ କରାଯାଇଥିଲା ।